କୋଇଡ଼ା: ସୁନ୍ଦରଗଡ଼ ଜିଳ୍ଲା କୋଇଡ଼ା ସଦର ମହକୁମାରୁ ୧୨ କିଲୋମିଟର ଦୂର ପାହାଡ଼ ପାଦ ଦେଶରେ କେନ୍ଦୁଝର ଜିଲ୍ଲାକୁ ଲାଗି ପାଟମୁଣ୍ଡା ପଞ୍ଚାୟତର ରାଜସ୍ଵ ଗ୍ରାମ 'କଦମଡିହି'। ସ୍ଵାଧୀନତାର ୭୬ ବର୍ଷ ପରେ ବି ଏ ଗ୍ରାମକୁ ବିଜୁଳି ପହିଞ୍ଚିନି। କେବଳ ବିଜୁଳି ନୁହେଁ ଏ ଗ୍ରାମକୁ ରାସ୍ତା ଖଣ୍ଡେ ନାହିଁ। ରାସ୍ତା ନାହିଁ ମାନେ ଆମ୍ବୁଲାନ୍ସ ଯିବା ମଧ୍ୟ ଅସମ୍ଭବ।
ଝରଣା ଓ ନଦୀ ପାଣି ହିଁ ଏ ଗ୍ରାମ ପାଇଁ ଜୀବନରେଖା। ଝାଟି ମାଟି ଘରେ ରହୁଛନ୍ତି ଶତାଧିକ ପରିବାର। ବିଜୁଳି ଓ ରାସ୍ତା ସମେତ ଅନ୍ୟାନ୍ୟ ମୌଳିକ ସୁବିଧା ପାଇଁ ଏ ଗ୍ରାମବାସୀ ଦୀର୍ଘ ୫ ଦଶନ୍ଧି ଧରି କେତେ ଯେ ମନ୍ତ୍ରୀ, ରାଜନେତା, ଜିଲ୍ଲାପାଳ, ବିଡିଓ ପ୍ରମୁଖଙ୍କୁ ଦାବି ଉପସ୍ଥାପନ କରି ଆସୁଛନ୍ତି ହେଲେ ଆଜିବି ଏ ଗ୍ରାମ ସାବତ ଶିଶୁ ଭଳି ଅନ୍ଧକାରର ଅନ୍ଧାର ଗଳିରେ ଛନ୍ଦି ହୋଇ ରହିଯାଇଛି।
ପଞ୍ଚାୟତ ଓ ବ୍ଲକ୍ ସଦରମହକୁମାକୁ ସଂଯୋଗ କରୁଥିବା ପାହାଡ଼ିଆ ପଥୁରିଆ ରାସ୍ତା ନିର୍ମାଣ ନ ହେବା ଫଳରେ ଜୀବନ ବଞ୍ଚାଇବା ପାଇଁ ନିଜେ ବହୁ ଥର ରାସ୍ତା ମରାମତି କରି ଆସୁଥିଲେ। ବିଜୁଳି ନ ଥିବା ହେତୁ ଗ୍ରାମକୁ ପାନୀୟଜଳ ପାଇଁ ଗୋଟିଏ ଟ୍ୟାଙ୍କର ଗ୍ରାମକୁ କିଛି ଦିନ ହେଲା ଯାଉଥିଲା କିନ୍ତୁ ଲଗାଣ ବର୍ଷାରେ ସେଇ ପଥୁରିଆ ପାହାଡ଼ ରାସ୍ତା ସମ୍ପୂର୍ଣ୍ଣ ଧୋଇ ହୋଇ ବଡ ବଡ ପଥର ବାହାରିପଡ଼ିଲା। ଫଳସ୍ଵରୂପ ଲୋକେ ସାଇକଲରେ ଦୂର କଥା ପାଦରେ ଚାଲି ବି ଯିବା ଆସିବା କରି ପାରିଲେ ନାହିଁ। ବାଇକ୍ ଆରୋହୀ ବାରମ୍ବାର ଦୁର୍ଘଟଣାର ଶିକାର ହେଲେ ଏବଂ ପାଣି ଟ୍ୟାଙ୍କର ମଧ୍ୟ ଯାଇପାରିଲା ନାହିଁ। ଏ ନେଇ ସ୍ଥାନୀୟ ପ୍ରଶାସନଙ୍କୁ ୱାର୍ଡ ସଭ୍ୟ ସହ ଗ୍ରାମବାସୀ ରାସ୍ତା ଦୁରବସ୍ଥା ବିଷୟରେ ଅବଗତ କରାଇଥିଲେ ହେଁ ପ୍ରଶାସନ ଆଦୌ କର୍ଣ୍ଣପାତ କରି ନଥିଲା। ଅନ୍ୟପଟେ ପାଣି ପାଇଁ ଡହଳ ବିକଳ ହେବା ପରେ ଆଜି ରବିବାର ଗ୍ରାମର ସମସ୍ତ ଯୁବକ ଯୁବତୀ, ବୃଦ୍ଧ ବୃଦ୍ଧା ହାତରେ କୋଦାଳ, ସାବଳ, ଗଇଁତା, ଗାମଲା ଧରି ମାଟି ହାଣି ମିଳିମିଶି ତିନି କିଲୋମିଟର ରାସ୍ତା ମରାମତି କରିଥିଲେ।
ଗ୍ରାମର ଅପରପାର୍ଶ୍ବ କେନ୍ଦୁଝରରେ ଚକାଚକ ରାସ୍ତା, ଘରେ ଘରେ ବିଜୁଳି ପାଣି ସୁବିଧା ଥିବାବେଳେ ସୁନ୍ଦରଗଡ ଜିଲ୍ଲା କଦମଡିହି ଗ୍ରାମ ସମସ୍ତ ସୁବିଧାରୁ ବଞ୍ଚିତ। ଏମିତିରେ ଗ୍ରାମବାସୀ ଆମକୁ କେନ୍ଦୁଝର ଜିଲ୍ଲାରେ ସାମିଲ୍ କରିଦିଅନ୍ତୁ ବୋଲି ଦାବି କରିଥିଲେ। ସୁନ୍ଦରଗଡ ଜିଲ୍ଲା ପ୍ରଶାସନ କେବଳ ମିଛ ରଙ୍ଗିନ ଚିତ୍ର ଦେଖାଇ ଆଦିବାସୀଙ୍କୁ ଠକି ଚାଲିଛନ୍ତି ବୋଲି ୱାର୍ଡ ସଭ୍ୟ ଦଶରଥ ମୁଣ୍ଡା, ପୂର୍ବତନ ୱାର୍ଡ ସଭ୍ୟ ହିରଣ୍ୟ ବାରିକ ସମେତ ଶତାଧିକ ପୁରୁଷ ମହିଳା ମାନେ ପ୍ରକାଶ କରିଥିଲେ।